ମାର୍ଚ୍ଚ 5 ରେ ବଡ଼ ଘୋଷଣା କରିବେ କି ମୋଦୀ ?

0

ଭୁବନେଶ୍ବର : ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ମୋଟ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ଏହା ପୁଣି ଥରେ ଓଡ଼ିଶାରେ ବିଜେପି-ବିଜେଡ଼ି ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କଣ ଓଡ଼ିଶା ପାଇଁ ବିଚାରବିମର୍ଷ ଜାରି ରହିଛି ? ତେବେ ସବୁଠାରୁ ଅଧିକ ଚର୍ଚ୍ଚାର କାରଣ ହୋଇଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଫେବ୍ରୁଆରି 3 ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ ଓ ଆସନ୍ତା ମାର୍ଚ୍ଚ 5 ତାରିଖରେ ବି ଓଡ଼ିଶା ଆସୁଛନ୍ତି । କିନ୍ତୁ ମୋଦୀଙ୍କ ପୂର୍ବ ଓଡ଼ିଶା ଗସ୍ତ ଅପେକ୍ଷା ମାର୍ଚ୍ଚ 5 ଗସ୍ତକୁ ନେଇ ଏତେ ଚର୍ଚ୍ଚା କାହିଁକି ? ଏହାର କାରଣ ହେଉଛି ମାର୍ଚ୍ଚ 5 ହେଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଓ ଓଡ଼ିଶାକୁ ଗତ 25 ବର୍ଷ ହେଲା ଶାସନ କରୁଥିବା ବିଜୁ ଜନତା ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । 25 ବର୍ଷ ତଳେ ମାର୍ଚ୍ଚ 5ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ ।

ମୋଦୀ ସେଦିନ ବାୟୁସେନାର ସ୍ବତନ୍ତ୍ର ବିମାନରେ ତେଲେଙ୍ଗାନାରୁ ଆସି ଭୁବନେଶ୍ବରରେ ପହଞ୍ଚିବେ ଓ ଚଣ୍ଡିଖୋଲ ଯାଇ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସରକାରୀ କାର୍ଯ୍ୟକ୍ରମ ହେଲେ ବି ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ବେଶ ଗୁରୁତ୍ବ ଦିଆଯାଉଛି । ତେବେ ମୋଦୀଙ୍କ ଏହି ଗସ୍ତର ମେସେଜ୍ କଣ ? ସେ ବିଜୁ ଜୟନ୍ତୀରେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ବିଷୟରେ ଘୋଷଣା କରିବେ କି ? ଅଥବା ବିଜେପି-ବିଜେଡ଼ି ମେଣ୍ଟ ସଂପର୍କରେ ଘୋଷଣା କରିବେ ?

ଯଦି ବିଜୁ ପଟ୍ଟନାୟକଙ୍କ ଭାରତ ରତ୍ନ ଦେବାକୁ ଘୋଷଣା କରାଯାଏ ତେବେ ତାହା ପରୋକ୍ଷରେ ମେଣ୍ଟର ସଂକେତ ବୋଲି ଧରାଯିବ କି ? ଅନ୍ୟ ପ୍ରକାରେ କହିଲେ ବିଜୁଙ୍କ ଭାରତ ରତ୍ନ ଦିଆଗଲେ ମେଣ୍ଟ ପାଇଁ ବିଜେଡ଼ି ଏକରକମ ବାଧ୍ୟ ହେବ ବୋଲି କୁହାଯାଇପାରେ । ଗତ ମାସରେ କର୍ପୁରୀ ଠାକୁର ଓ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦିଆଯିବା ପରେ ଜେଡିୟୁ ଓ ଆରଏଲଡି ଏନଡିଏରେ ମିଶିଥିଲେ ।

କିଛି ଦିନ ତଳେ ବିଜେଡ଼ିର ନଂ2 ନେତା ଭିକେ ପାଣ୍ଡିଆନଙ୍କୁ ଯେତେବେଳେ ମେଣ୍ଟ ପ୍ରଶ୍ନ କରାଗଲା, ସେ କହିଥିଲେ ଯେ  କିଛି ଦିନ ଅପେକ୍ଷା କରନ୍ତୁ । ରାଜନୈତିକ ରଣନୀତି ଏମିତି ଖୋଲି କରି କୁହାଯାଏ ନାହିଁ । ସେହିପରି ଏ ସମ୍ପର୍କରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ୍ ସିଂ କହିଛନ୍ତି ଯେ ସେ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ । ଅବଶ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି କହିଛନ୍ତି ।

ବିଭିନ୍ନ ଜାତୀୟ ସ୍ତରର ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଜନମତ ସର୍ଭେରୁ ଜଣାପଡ଼ୁଛି ଯେ ଲୋକସଭା ନିର୍ବାଚନରେ ବିଜେଡଡ଼ି କିଛିଟା ଆସନ ହରାଇପାରେ । କିନ୍ତୁ ବିଧାନସଭା ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଫେରିପାରେ । ଅର୍ଥାତ୍ ସର୍ଭେ ସଂକେତ ଦେଉଛି ଯେ ବିଜେଡ଼ିର ଭୋଟ ପ୍ରତିଶତ କିଛି କମିଲେ ବି ଦଳ କ୍ଷମତା ବଜାୟ ରଖିବ । ଏଦୃଷ୍ଟିରୁ ଦେଖିଲେ ବିଜେପି ସହିତ ନିର୍ବାଚନୀ ମେଣ୍ଟ କରିବା ବିଜେଡ଼ି ପାଇଁ ବାଧ୍ୟବାଧକତା ନୁହେଁ ।

ଅନ୍ୟପଟେ ଦେଖିଲେ ମେଣ୍ଟ ହେଲେ ବିଜେପି ଲାଭରେ ରହିବ । ବିଜେପିକୁ ବେଶ କିଛି ବିଧାନସଭା ଆସନ ମିଳିଯିବ । କିନ୍ତୁ ମେଣ୍ଟ ସପକ୍ଷରେ ସବୁଠାରୁ ବଳିଷ୍ଠ ଯୁକ୍ତି ହେଉଛି ଯେ ଆଗାମୀ ଲୋକସଭାରେ ଏନଡିଏ ମେଣ୍ଟ 400 ଆସନ ହାସଲ କରିବ ବୋଲି ଖୋଦ୍ ମୋଦୀ ଘୋଷଣା କରିସାରିଛନ୍ତି । ଏହି ସଂଖ୍ୟା ହାସଲ କରିବା ଅସମ୍ଭବ ନ ହେଲେ ବି ବେଶ କଷ୍ଟକର ବ୍ୟାପାର । ଏଣୁ ପୁରୁଣା ଏନଡିଏ ମେଣ୍ଟ ଦଳଗୁଡ଼ିକୁ ପୁଣି ମେଣ୍ଟକୁ ଫେରାଇ ନେବାକୁ ବିଜେପି ଉଦ୍ୟମ କରିଚାଲିଛି । ତାହାର ଏକ ଉଦାହାରଣ ହେଉଛି ଆନ୍ଧ୍ରପ୍ରଦେଶର ତେଲଗୁଦେଶମ ଦଳ ଓ ପଞ୍ଜାବ ଅକାଳୀ ଦଳ । ଉଭୟ ଦଳ ହେଉଛି ପୁରୁଣା ଏନଡିଏ ସଦସ୍ୟ ଦଳ । ଉଭୟ ଦଳଙ୍କୁ ପୁଣି ଏନଡିଏକୁ ଫେରାଇ ନେବାକୁ ଆଲୋଚନା ଜାରି ରହିଛି ଓ ଏକରକମ ଚୂଡ଼ାନ୍ତ ହୋଇଯାଇଛି ବୋଲି କୁହାଯାଇପାରେ । ତାପୂର୍ବରୁ ଏନଡିଏର ଆଉ ଏକ ପୁରୁଣା ସହଯୋଗୀ ଆଞ୍ଚଳିକ ଦଳ ଜନତା ଦଳ ୟୁନାଇଟେଡ ଏନଡିଏକୁ ଫେରିଆସିଛି । ଏଣୁ ଏହି କ୍ରମରେ ବିଜେଡ଼ି ଉପରେ ମଧ୍ୟ ମେଣ୍ଟ ପାଇଁ ଉଦ୍ୟମ କରୁଥାଇପାରେ ବିଜେପି ।

କିନ୍ତୁ ଏହା ସତ ଯେ ମେଣ୍ଟ ହେଲେ ବିଜେଡ଼ିର ଅନେକ ଆଶାୟୀ ନେତା ନିରାଶ ହେବେ । ତେବେ ଏହା ମଧ୍ୟ ସତ ଯେ ମେଣ୍ଟ ହେଲେ ଓଡ଼ିଶାରେ ‘ଡବଲ ଇଂଜିନ ସରକାର’ ଆଣିବାକୁ ବିଜେପିର ସ୍ବପ୍ନ ସାକାର ହେବ ।

Leave A Reply

Your email address will not be published.