ଗଞ୍ଜାମରେ ବିଜେଡ଼ିକୁ ଅଡୁଆରେ ପକାଇବେ କି ପ୍ରଦୀପ ?

0

ଭୁବନେଶ୍ବର : ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି।  ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଦୀପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି। କିନ୍ତୁ ଏହି ଅବସରରେ ସେ ବିଜେଡ଼ିକୁ କଡ଼ା ଭାଷାରେ ସମାଲୋଚନା କରିବାକୁ ଭୁଲିନଥିଲେ । ସେ କହିଥିଲେ ଯେ ଯେ ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି। ଏହି ମିସନ ହିଞ୍ଜିଳିରୁ ଆରମ୍ଭ ହେବ ଓ ଭୁବନେଶ୍ବରରେ ଶେଷ ହେବ ।

ସେ ଆହୁରି ମଧ୍ୟ କହିଥିଲେ ଯେ ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରେ ନିଜର ସ୍ବାର୍ଥ ଲାଗି ବିଜେପିର ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି। ରାଜ୍ୟରେ ବିଜେପି ସରକାର ହେଲେ ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ। ପ୍ରଦୀପ କହିଛନ୍ତି ଓଡ଼ିଶା ଫାଷ୍ଟ, ଓଡ଼ିଆ ଫାଷ୍ଟ ପାଇ ସଂକଳ୍ପ ନେବା ।

ଅବଶ୍ୟ ଡିସେମ୍ବର 2020ରେ ତାଙ୍କୁ ବିଜେଡ଼ି ବହିଷ୍କୃତ କରିବା ପରେ ପ୍ରଦୀପ ନିୟମିତଭାବେ ବିଜେଡ଼ିକୁ ସମାଲୋଚନା କରିଚାଲିଛନ୍ତି । ଏହି ନୂଆ ସମାଲୋଚନା କିଛି ନୂଆ କଥା ନୁହେଁ ବୋଲି କୁହାଯାଇପାରେ । କିନ୍ତୁ ପ୍ରଦୀପ ବିଜେପିକୁ ଆସିବା ପରେ ଦଳ କେତେ ସୁଦୃଢ ହେବ ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମ ବିଜେଡ଼ି ପାଇଁ ଦିନକୁ ଦିନ ଚ୍ୟାଲେଞ୍ଜିଙ୍ଗ୍ ହୋଇଚାଲିଛି । 2019 ତୁଳନାରେ 2024ର ପରିସ୍ଥିତି ବଦଳିଯାଇଥିବା କୁହାଯାଉଛି । ଦଳର ଟାଣୁଆ ନେତା ସୂର୍ଯ୍ୟନାରାୟଣ ପାତ୍ର, ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ପରଲୋକ ହୋଇଛି । ଦଳର ଅନେକ ନେତା ପୂର୍ବପରି ଆଉ ସକ୍ରିୟ ନାହାନ୍ତି । ପୁଣି ଏହି ଜିଲ୍ଲାରେ ଥିବା ବିଭିନ୍ନ ବିଧାନସଭା ଆସନରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ବଢିବାରେ ଲାଗିଛି । ଆସିକା ଲୋକସଭା ଆସନରୁ ଏଥର ପ୍ରମିଳା ବିଷୋୟୀଙ୍କୁ ପୁଣି ଛିଡ଼ା କରାଯିବ କି ନୂଆ ପ୍ରାର୍ଥୀ ଦିଆଯିବ ? ଯଦି ନୂଆ ପ୍ରାର୍ଥୀ ଦିଆଯିବ ସେ କିଏ ? ସେହିପରି ପୋଲସରା,କବିସୂର୍ଯ୍ୟନଗର,ସାନଖେମୁଣ୍ଡି,ଆସ୍କା,ସୁରଡାରେ ଦଳର ଏକାଧିକ ଆଶାୟୀ ଅଛନ୍ତି । ଏଣୁ ଦଳରେ ଆଗକୁ କନ୍ଦଳ ବଢିବା ଓ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ଜଳ ଜଳ ଦେଖାଯାଉଛି ।

ଏପରି ସ୍ଥିତିରେ ପ୍ରଦୀପଙ୍କ ବିଜେପି ଯୋଗଦାନ ବିଜେଡ଼ିର ଅସୁବିଧାକୁ ଆଉ ଟିକିଏ ବଢାଇଦେଇଛି । କାରଣ ବିଜେଡ଼ିରେ ଥିବାବେଳେ ସେ ଗଞ୍ଜାମ ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ହିଞ୍ଜିଳିରେ ସେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଥିଲେ । ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ବିଜେଡ଼ିର ସଂଗଠନକୁ ମଝବୁତ କରିବାରେ ତାଙ୍କର ଅବଦାନ ରହିଛି । ଏପରିକି ଗଜପତିରେ ବି ତାଙ୍କର ପ୍ରଭାବ ରହିଛି । 2019 ନିର୍ବାଚନରେ ବିଜେଡ଼ି ଗଞ୍ଜାମର 13ଟି ଆସନରୁ 12ଟି ଜିତିଥିଲା । ଏଥିରେ ତାଙ୍କର ବି ଅବଦାନ ଥିଲା । ଗଞ୍ଜାମରୁ ଏବେ ବିଧାୟକ ଥିବା ନେତାମାନଙ୍କୁ ପ୍ରାର୍ଥୀ କରିବା ଓ ଜିତାଇବାରେ ତାଙ୍କର ହାତ ଥିଲା ।  ଏଣୁ ଗଞ୍ଜାମ ରାଜନୀତିରେ ସେ ଜଣେ ପୁରୁଣା ଖେଳାଳି ଏହା ସ୍ବୀକାର କରିବାକୁ ହେବ ।  କିନ୍ତୁ ତାଙ୍କର ଏହି ଅଭିଜ୍ଞତାରୁ ବିଜେପି କେତେ ଫାଇଦା ନେବ ତାହା ଆଗାମୀ ନିର୍ବାଚନରୁ ଜଣାପଡ଼ିବ । ପୁଣି ତାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗକୁ ନେଇ ବିଜେଡ଼ି ବିଜେପିକୁ ଟାର୍ଗେଟ କରିବା ନିଶ୍ଚିତ । ଏପରି କରିବା ଆରମ୍ଭ ମଧ୍ୟ କରିଦେଲାଣି । ଏଣୁ ଆଗକୁ ଗଞ୍ଜାମରେ ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ ।

Leave A Reply

Your email address will not be published.